News

ଆଡପ ମଣ୍ଡପରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା

ରଥ ଉପରେ କଟିଲା ସାରା ରାତି । ଆଉ ଆଜି ମଧ୍ୟ ସାରା ଦିନ ଶରଧାବାଲିରେ ଭକ୍ତଙ୍କ ଗହଣରେ ରହିବାକୁ ଚାହିଁଥିଲେ କାଳିଆ ଠାକୁର । ସେ ତ ଭକ୍ତର ଭାବରେ ବନ୍ଧା । ଭକ୍ତର ଜୀବନ ଧନ । କାଳେ କୋଉ ଭକ୍ତ ତାଙ୍କର ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିନଥିଲେ, ଖାସ୍‌ ସେଇଥିପାଇ କାଲି ସଂଧ୍ୟାରୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ସେମିତି ରଥ ଉପରେ ଅପେକ୍ଷା କରି ବସିଥିଲେ ଭକ୍ତ ବତ୍ସଳ ମହାପ୍ରଭୁ । ସେପଟେ ଭକ୍ତ ମଧ୍ୟ ତା’ର ଭାବର ଡୋରିରେ ମହାପ୍ରଭୁଙ୍କୁ ବାନ୍ଧି ରଖିବାକୁ କୌଣସି ମଉକା ଛାଡ଼ିନଥିଲେ । କାଲି ରାତିଠୁ ଆଜି ସଂଧ୍ୟା ପର୍ଯ୍ୟନ୍ତ ଶରଧାବାଲିରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲାଗିଥିଲା ଭକ୍ତଙ୍କ ଭିଡ଼ । ପରେ ଆଜି ତିନି ଠାକୁରଙ୍କୁ ପହଣ୍ଡିରେ ନେଇ ଆଡପ ମଣ୍ଡପରେ ଅବସ୍ଥାପନ କରାଯାଇଥିଲା ।

ଏତେ ଦିନ ପରେ କାଳିଆ ସାଆନ୍ତଙ୍କୁ ପାଖରେ ପାଇ ଭକ୍ତର ମନ ପୂରି ଉଠିଛି । ହରିବୋଲ, ହୁଳହୁଳି ଓ ସଂକୀର୍ତ୍ତନରେ ଫାଟି ପଡ଼ୁଛି ଶରଧାବାଲି । କିଏ ଚକାଆଖିରେ ଆଖି ମିଶାଇ ତା’ର ଦୁଃଖ ଜଣାଉଛି ତ ଆଉ କିଏ ଭାବବିହ୍ବଳ ହୋଇ କାନ୍ଦି ପକାଉଛି । ଶରଧାବାଲିରେ ଭକ୍ତ=ଭଗବାନଙ୍କ ଏ ଅପୂର୍ବ ମିଳନ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ସେପଟେ ରଥ ଉପରେ ଗୋଟି ଗୋଟି କରି ସମସ୍ତ ନୀତିକାନ୍ତି କରିଥିଲେ ସେବକମାନେ ।

ଗତକାଲିଠୁ ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ରଥ ଚାରିପାଖରେ ବ୍ୟାରିକେଡିଂ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ୍‌ ମୁତୟନ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

To Top