News

ନିରଞ୍ଜନଙ୍କ ମୁଖ୍ୟମନ୍ତ୍ରୀ ସ୍ବପ୍ନରେ ପାଣି ଢାଳିଲେ ଶ୍ରୀକାନ୍ତ ଜେନା

କଂଗ୍ରେସରେ ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ଅବସ୍ଥା । ନୂଆ ସଭାପତି ନୂଆ ପ୍ରଭାରୀ ସଦଳବଳେ ଓଡିଶାରେ ହୁଁଙ୍କାର ଛାଡିବାର ମାତ୍ର ଦିନ କେଇଟା ଯାଇନି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ନିରଞ୍ଜନ ବିରୋଧି ଗୁଗୁଲି ଫିଙ୍ଗିଛନ୍ତି । ପ୍ରସ୍ତାବ ଦେଇଛନ୍ତି ଓଡିଶାର ଜନସଂଖ୍ୟା ଆଧାରରେ ବ୍ରାହ୍ମଣ – କରଣ ନୁହଁନ୍ତି ବରଂ ଓବିସି ଓ ଏସଇବିସି ମଧ୍ୟରେ ଜଣେ କେହି ମୁଖ୍ୟମନ୍ତ୍ରୀ ହେବା ଦରକାର । ସେହିଭଳି ଖଣି ଦୁର୍ନିତି କଥା ଉଠାଇ ନିରଞ୍ଜନଙ୍କ ପାଇଁ ମୁଣ୍ଡବିନ୍ଧା ବଢାଇଛନ୍ତି । ଆଉ ମଣ୍ଡଳ କମିଶନ କଥା ଉଠାଇ ଜାତିଆଣ ରାଜନୀତି କାର୍ଡ ଖେଳିବାକୁ ଉଦ୍ୟ ବି କରିଛନ୍ତି । ଯାହାକୁ କଂଗ୍ରେସ ଶିବିରରେ ବଡ ହଟଚମଟ ହେବାକୁ ଯାଉଛି ।…

ଶ୍ରୀକାନ୍ତ ଜେନାଙ୍କ ଇସ୍ତାହାର ପ୍ରସ୍ତାବକୁ ନେଇ କଂଗ୍ରେସରେ କମ୍ପନ । ଦଳର ନିର୍ବାଚନି ଇସ୍ତାହାର କମିଟି ଅଧ୍ୟକ୍ଷ ଥିବା ଶ୍ରୀକାନ୍ତଙ୍କ ନୂଆ ପ୍ରସ୍ତାବ ଦଳ ଭିତରେ ବୁଣିଲା ବିବାଦ ମଞ୍ଜି । ଇସ୍ତାହାର ଲେଖିବା ପୂର୍ବରୁ ଦଳୀୟ ନେତା ଓ କର୍ମିଙ୍କଠାରୁ ଶ୍ରୀକାନ୍ତ ମାଗିଛନ୍ତି ୩ ପ୍ରସ୍ତାବ । କହିଛନ୍ତି ଓଡିଶାରେ ଓବିସି ଓ ଏସଇବିସି ୫୪ ପ୍ରତିଶତ ଥିବାରୁ ସେମାନଙ୍କ ଭିତରୁ ହିଁ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦରକାର । ସେହିଭଳି ଏସସି ୧୬ ପ୍ରତିଶତ ଓ ଏସଟି ୨୨ ପ୍ରତିଶତ ଥିବାରୁ ଏମାନଙ୍କ ଭିତରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବା ଦରକାର । ଏହାହେଲେ ସର୍ବଜନ ବିକାଶ ହେବ କାରଣ ଏହି ୩ଟି ବର୍ଗ ୯୦ ପ୍ରତିଶତ ଅଛନ୍ତି ଓଡିଶାରେ । ଶ୍ରୀକାନ୍ତଙ୍କ ଏଭଳି ଯୁକ୍ତି ପଛରେ ବ୍ରାହ୍ମଣ ଓ କରଣଙ୍କୁ ମୁଖ୍ୟମନ୍ତ୍ରୀ ପଦ ମନା ବୋଲି ବାରି ହୋଇପଡୁଛି । ଯଦିବା ସେ ଏନେଇ ସ୍ପଷ୍ଟଭାବେ କହିନାହାଁନ୍ତି କିନ୍ତୁ ଶ୍ରୀକାନ୍ତଙ୍କ ଏଭଳି ଗୁଗୁଲି ନିରଞ୍ଜନଙ୍କ ମୁଖ୍ୟମନ୍ତ୍ରୀ ସ୍ବପ୍ନରେ ପାଣି ଢାଳିବା କଥା ତାହା ଜଳଜଳ ଦିଶୁଛି । ଏହାସାଙ୍ଗକୁ ଅନ୍ୟରାଜ୍ୟଭଳି ଓଡିଶାରେ ଜାତିଆଣ ରାଜନୀତିର କାର୍ଡ ଖେଳିବାକୁ ବି ଚେଷ୍ଟା କରିଛନ୍ତି ଶ୍ରୀକାନ୍ତ ।

ଶ୍ରୀକାନ୍ତଙ୍କ ଦ୍ବୀତିୟ ପ୍ରସ୍ତାବ ବି ନିରଞ୍ଜନଙ୍କୁ ଅକଡରେ ପକାଇଭଳି କଥା । ଶ୍ରୀକାନ୍ତଙ୍କ ଯୁକ୍ତି, ଓଡିଶାର ସାମାଜିକ ଓ ରାଜନୈତିକ ଜୀବନକୁ କବଳିତ କରିଛନ୍ତି ଖଣି ମାଫିଆ । ରାଜ୍ୟରେ ହୋଇଥିବା ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନିତି ଏଥିପାଇଂ ଦାୟି । ତେଣୁ କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ ସବୁ ଖଣିମାଲିକଙ୍କ ଲିଜ୍ ରଦ୍ଦକରି ସରକାର ସମସ୍ତ ଖଣି ନିଜହାତକୁ ନେବେ । ଯେହେତୁ ନିରଞ୍ଜନଙ୍କ ପରିବାର ଖଣି ବ୍ୟବସାୟ ସହ ଜଡିତ ସେଥିପାଇଂ ଶ୍ରୀକାନ୍ତ ଭାବିଚିନ୍ତି ଏଭଳିଗୋଟି ଚଳାଇଛନ୍ତି ବୋଲି ଦଳ ଭିତରେ ଚର୍ଚା । ସେହିଭଳି ଶ୍ରୀକାନ୍ତଙ୍କ ତୃତୀୟ ପ୍ରସ୍ତାବ ହେଲା ରାଜ୍ୟରେ ମଣ୍ଡଳ କମିଶନଙ୍କ ରିପୋର୍ଟ ଆଧାରରେ ସଂରକ୍ଷଣ ଲାଗୁ କରିବା । ଏହାହେଲେ ସବୁ ବର୍ଗର ସାମାଜିକ ଓ ଅର୍ଥନୈତିକ ବିକାଶ ହେବ । ଶ୍ରୀକାନ୍ତ ଏଭଳି ପ୍ରସ୍ତାବ ବହୁ କଂଗ୍ରେସ ନେତାଙ୍କୁ ହଜମ ହେଉନି । ମୁଁ ନୁହେଁ ଆମେ କହି କଂଗ୍ରେସ କର୍ମିଙ୍କ ପାଖକୁ ଯିବାକୁ ସଜବାଜ ହେଉଥିବା ବେଳେ ଶ୍ରୀକାନ୍ତ କେଁ ପୁରାଇ ଦେଇଛନ୍ତି ।

ଶ୍ରୀକାନ୍ତ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛନ୍ତି । ଏକରେ ଖଣି ଦୁର୍ନିତିକୁ ଲାଇମ ଲାଇଟକୁ ଆଣି ଉଭୟ ନବୀନ ଓ ନିରଞ୍ଜନଙ୍କ ପାଇଁ ଅଡୁଆ ବଢାଇଛନ୍ତି । ଦୁଇରେ ସଂରକ୍ଷଣ କାର୍ଡ ଖେଳି ଓଡିଶା ରାଜନୀତିକୁ ଉତ୍ତର ଭାରତ ରାଜନୀତି ଢାଞ୍ଚାରେ ଜାତି ଆଧାରରେ ପୋଲାରାଇଜ କରିବାକୁ ଚେଷ୍ଟା କରିଛନ୍ତି । ଏଥିରେ ବି ଉଭୟ ନବୀନ- ନିରଞ୍ଜନ ଟାର୍ଗେଟ । କିନ୍ତୁ ଶ୍ରୀକାନ୍ତଙ୍କ ଏଭଳି ଡବଲ୍ ଗେମ୍ କଂଗ୍ରେସର ଅନ୍ତରୀଣ ରାଜନୀତିକୁ କିଭଳି ସରଗରମ କରୁଛି ତାକୁ ଦେଖିବାକୁ ହେବ ।…

Click to comment

Leave a Reply

Your email address will not be published. Required fields are marked *

To Top